ମନ୍ଦିର ବି ଅଧିକ ବାଟ ନୁହଁ । ଚାଲି ଚାଲି ଗଲେ ଅତି କଷ୍ଟ ରେ ପାଞ୍ଚ ମିନିଟ ଲାଗେ । ବୋଉଙ୍କ ଚାଲି ଅତି ଧୀର ତ' ଦଶ ମିନିଟ ଖଣ୍ଡେ ଲାଗିବ ।
ରାସ୍ତା ରେ ଗାଡି ମୋଟର ବହୁତ ଯିବା ଆସିବା କରୁଥାଏ । ଛ' ବର୍ଷ ର ପିଲା କ'ଣ ଏକା ଯାଇପାରିବ ! ତେଣୁ ତା' ହାତ ଧରି ଚାଲୁଥାଏ । ବୋଉ ପଛେ ପଛେ ଧୀରେ ଧୀରେ ଆସୁଥା'ନ୍ତି । ମୁଁ ଆଉ ଝିଅ ଚାରିପାଦ ଚାଲୁ, ପୁଣି ମିନିଟିଏ ଅପେକ୍ଷା କରୁ ବୋଉ ପାଖକୁ ଆସିବା ଯାଏଁ ।
କିଛି ସମୟ ପରେ ଅନୁଭବ କଲି, ବୋଉ ଠିକ୍ ରେ ଚାଲିପାରୁନାହାଁନ୍ତି । ତାଙ୍କ ହାତ ନ ଧରିଲେ, ପଡିଯାଇପାରନ୍ତି । ସେପଟେ ଛ' ବର୍ଷ ର ଝିଅ ।
ଝିଅ କୁ କହିଲି, "ମା' ଲୋ, ତୋ ହାତ ଛାଡୁଛି । ଧୀରେ ଧୀରେ ଚାଲିବୁ । ଗାଡି ମୋଟର ଅଛି ନା' ମୋ ପାଖେ ପାଖେ ଥିବୁ ।"
ସେ' ବି ହଁ କହିଲା । କାତରତା ସହ ତା' ହାତ ଛାଡିଲି ।
ଗୋଟିଏ ମିନିଟ ଯାଇଛି କି ନାହିଁ, ଦେଖିଲି, ଝିଅ ଡେଇଁ ଡେଇଁ ଗୀତ ଟିଏ ଗୁଣୁଗୁଣେଇ ଧାଉଁଛି । ବୋଉଙ୍କ ହାତ ଧରି ମୁଁ ଚାଲୁଛି, ତେଣୁ ଧାଇଁଯାଇ ଝିଅକୁ ଧରିହେବନି । ତେଣୁ ବଡ ପାଟିରେ ଡାକ ଦେଲି, ମା' ଲୋ, ମୋ ପାଖେ ପାଖେ ରହ । ମିନିଟିଏ ପରେ ଦେଖିଲି, ସେ ଡେଇଁ ଡେଇଁ କେତେ ଆଗକୁ ଚାଲିଗଲାଣି । ପୁଣି ବଡ ପାଟିରେ ଡାକିଲି ।
ସେ' କିନ୍ତୁ ବୋଧେ ମୋ ଡାକ ଶୁଣିପାରିଲାନି । ତେଣୁ ବୋଉଙ୍କ ହାତ ଛାଡି ଝିଅକୁ ଧରିବାକୁ ଧାଇଁଲି । ମୋ ମନରେ ପୁରା ଭୟ, ଗାଡି ମୋଟର ନ ଦେଖି ଝିଅ ଧାଇଁ ଚାଲିଛି, କଣ ହେବ କଣ ନାହିଁ ।
ଟିକେ ବାଟ ଧାଇଁଛି, ବୋଉ ସେପଟେ ଚାଲିବା ବନ୍ଦ କରି ଠିଆ ହୋଇଛନ୍ତି । ଆଗକୁ ଝିଅ ପାଖକୁ ଯିବି ନା ପଛକୁ ବୋଉଙ୍କ ପାଖକୁ ଯିବି ମୁଁ ଆଉ ସ୍ଥିର କରିବାରେ ଅସମର୍ଥ ହୋଇପଡିଲି
।
ଏପଟେ ଦେଖିଲି, ଝିଅ ସମସ୍ତ ପ୍ରକାର ଚିନ୍ତା, ଭୟ ମୁକ୍ତ ହୋଇ ଖୁସି ମନରେ ଡେଇଁ ଡେଇଁ ଚାଲିଛି । ସେପଟେ ଦେଖିଲି ବୋଉ ଧୀରେ ଧୀରେ ପାଦ ବଢେଇ ଚାଲୁଛନ୍ତି ।
ଝିଅକୁ ଧରି ତା' ଖୁସି କମ୍ କରିବାକୁ ମନ କଲାନି, ବୋଉଙ୍କ ହାତ ଧରି ତାଙ୍କ ଆତ୍ମବିଶ୍ୱାସ କମ୍ କରିବାକୁ ମଧ୍ଯ ଠିକ୍ ଲାଗିଲା ନାହିଁ ।
ସେମିତି, ସେଇଠି ଠିଆ ହୋଇ କେତେବେଳେ ଝିଅକୁ ତ କେତେବେଳେ ବୋଉଙ୍କ ଦେଖୁଥାଏ ।
ଭାବିଲି, ବୋଧହୁଏ ଏହାହିଁ ସମୟର ଚକ୍ର । ମୋ ପିଲାଦିନ ଏମିତି ଡେଇଁ ଡେଇଁ ଚାଲିଯାଇଛେ, ବାର୍ଦ୍ଧକ୍ଯ ଧୀରେ ଧୀରେ ପଛେ ଆସୁଛି । ଆଉ ମୁଁ ଏମିତି ଚାହିଁରହିଛି । କେତେବେଳେ ମୋ ପିଲାଦିନର ସ୍ମୃତିକୁ, ତ କେତେବେଳେ ଭବିଷ୍ୟତ ର ଚିନ୍ତାକୁ ।