ଗୋଚର ଭୂଇଁ ଦୂର ଦୁରନ୍ତରେ
ଅଛି ବା କାହିଁ ଯେ ଦିଶିବ,
ଗାଁ ଦାଣ୍ଡ ଦେଖି ସ୍ମୃତି କହି ଉଠେ
ଗୋଧୂଳି ଆଉ କି ଫେରିବ ?
ବିଜୁଳି ଖୁଣ୍ଟର କୃତ୍ରିମ ଆଲୋକେ
ତାରା କି ସେମିତି ହସିବ ?
ଜହ୍ନର ସେ ରୂପ କାଚ ଘରେ ହଜେ
ଗୋଧୂଳି ଆଉ କି ଫେରିବ ?
ମୋବାଇଲ୍ ପରଦା ଭିତରେ ହଜିଛି
ପିଲାଙ୍କ ସେ ଧୂଳିଆ ଖେଳ,
ଖୋଲା ଆକାଶରୁ ନଜର ଫେରିବ ?
ଗୋଧୂଳି ଆଉ କି ଫେରିବ ?
ଗାଈଗୋଠ ଧୂଳି ବେଣୁର ସେ ସ୍ଵର
କାଲି କି ଆଉ ସେ ଶୁଭିବ ?
ନିଶ୍ଚଳ ସଞ୍ଜର ସେଇ ନିଭା ହସ
ଗୋଧୂଳି ଆଉ କି ଫେରିବ ?
ସହରର ଭିଡ଼େ ଯନ୍ତ୍ରର କୋଳାହଳେ
ମଣିଷ କି ନିଜକୁ ପାଇବ ?
ଅଭୁଲା ସେ ଦିନ ଫେରିବାକୁ ଖୋଜେ
ଗୋଧୂଳି ଆଉ କି ଫେରିବ ?
ନିଶବ୍ଦ ସଞ୍ଜର ଲୁହ ଜକେଇଛି
ସେ ପୁରୁଣା ସ୍ମୃତି ଗୁଞ୍ଜରିବ,
ସମୟର ସୁଅ ଆଉ କି ମୋଡ଼ିବ?
ଗୋଧୂଳି ଆଉ କି ଫେରିବ ?
No comments:
Post a Comment