Wednesday, 15 April 2026

ଆତ୍ମା ତତ୍ତ୍ୱ

 

ଅଭାଗା ହତଭାଗା

ସତେ ଅବା ତଟିନୀ

ଗିରି ପରିତ୍ୟକ୍ତା

ସାଗର ବିରହିଣି 0

ଶରୀରେ ଆବଦ୍ଧ                 ଲୋଭ କାମେ ବଶ

ବ୍ରହ୍ମ ତ୍ୟାଗି ବ୍ରହ୍ମ ଲାଗି           ଆତ୍ମେ ତତ୍ତ୍ବ ହ୍ରାସ

ଅଚଳ ଅବିଚଳ

ସତେ ଅବା ପଥର

କ୍ଷର ପ୍ରତିକ୍ଷଣେ

ତଥାପି ଅକ୍ଷର

ନିଶବ୍ଦ ନିଶାର୍ଦ୍ଧ        ମେଘ ଦେହେ ସୁପ୍ତ

ଘର୍ଘର ଶବ୍ଦ ସହ     ନଭେ ହୁଏ ବ୍ୟାପ୍ତ  |

ଚପଳା ଲାଜବୋଳା

ସତେ ଅବା ବିଜୁଳି

କ୍ଷଣିକ ଆୟୁଷ

ଯାଏ ଖାଲି ଜଳି

Monday, 23 February 2026

ଗୋଧୁଳି ଆଉ କି ଫେରିବ !

ଗୋଚର ଭୂଇଁ ଦୂର ଦୁରନ୍ତରେ
ଅଛି ବା କାହିଁ ଯେ ଦିଶିବ,
ଗାଁ ଦାଣ୍ଡ ଦେଖି ସ୍ମୃତି କହି ଉଠେ
ଗୋଧୂଳି ଆଉ କି ଫେରିବ ?
ବିଜୁଳି ଖୁଣ୍ଟର କୃତ୍ରିମ ଆଲୋକେ
ତାରା କି ସେମିତି ହସିବ ?
ଜହ୍ନର ସେ ରୂପ କାଚ ଘରେ ହଜେ
ଗୋଧୂଳି ଆଉ କି ଫେରିବ ?
ମୋବାଇଲ୍ ପରଦା ଭିତରେ ହଜିଛି
ପିଲାଙ୍କ ସେ ଧୂଳିଆ ଖେଳ,
ଖୋଲା ଆକାଶରୁ ନଜର ଫେରିବ ?
ଗୋଧୂଳି ଆଉ କି ଫେରିବ ?
ଗାଈଗୋଠ ଧୂଳି ବେଣୁର ସେ ସ୍ଵର
କାଲି କି ଆଉ ସେ ଶୁଭିବ ?
ନିଶ୍ଚଳ ସଞ୍ଜର ସେଇ ନିଭା ହସ
ଗୋଧୂଳି ଆଉ କି ଫେରିବ ?
ସହରର ଭିଡ଼େ ଯନ୍ତ୍ରର କୋଳାହଳେ
ମଣିଷ କି ନିଜକୁ ପାଇବ ?
ଅଭୁଲା ସେ ଦିନ ଫେରିବାକୁ ଖୋଜେ
ଗୋଧୂଳି ଆଉ କି ଫେରିବ ?
ନିଶବ୍ଦ ସଞ୍ଜର ଲୁହ ଜକେଇଛି
ସେ ପୁରୁଣା ସ୍ମୃତି ଗୁଞ୍ଜରିବ,
ସମୟର ସୁଅ ଆଉ କି ମୋଡ଼ିବ?
ଗୋଧୂଳି ଆଉ କି ଫେରିବ ?

Friday, 12 July 2024

ସମୟ

କାର୍ତ୍ତିକ ମାସ, ପ୍ରଥମ ସୋମବାର  । ସଞ୍ଜ ହୋଇ ଆସିଥାଏ । ବୋଉଙ୍କୁ ନେଇ ମନ୍ଦିର ଯିବା ପାଇଁ ବାହାରି ଥାଏ । ଛ' ବର୍ଷ ର ଝିଅ, ଧାଇଁ ଆସି ଭିଡି ଧରିଲା । ଏକା ଜିଦ୍ ସେ' ବି ଆସିବ । ମୁଁ ବି ଭାବିଲି, ଆସୁ ଝିଅ ଟା । ବାହାରେ ବୁଲିଲେ ଦେହ ପା' କୁ ଭଲ । ମନ୍ଦିର ଯିବା ଆହୁରି ଭଲ । 
ମନ୍ଦିର ବି ଅଧିକ ବାଟ ନୁହଁ । ଚାଲି ଚାଲି ଗଲେ ଅତି କଷ୍ଟ ରେ ପାଞ୍ଚ ମିନିଟ ଲାଗେ । ବୋଉଙ୍କ ଚାଲି ଅତି ଧୀର ତ' ଦଶ ମିନିଟ ଖଣ୍ଡେ ଲାଗିବ । 
ରାସ୍ତା ରେ ଗାଡି ମୋଟର ବହୁତ ଯିବା ଆସିବା କରୁଥାଏ । ଛ' ବର୍ଷ ର ପିଲା କ'ଣ ଏକା ଯାଇପାରିବ  ! ତେଣୁ ତା' ହାତ ଧରି ଚାଲୁଥାଏ । ବୋଉ ପଛେ ପଛେ ଧୀରେ ଧୀରେ ଆସୁଥା'ନ୍ତି  । ମୁଁ ଆଉ ଝିଅ ଚାରିପାଦ ଚାଲୁ, ପୁଣି ମିନିଟିଏ ଅପେକ୍ଷା କରୁ ବୋଉ ପାଖକୁ ଆସିବା ଯାଏଁ ।
କିଛି ସମୟ ପରେ ଅନୁଭବ କଲି, ବୋଉ ଠିକ୍ ରେ ଚାଲିପାରୁନାହାଁନ୍ତି । ତାଙ୍କ ହାତ ନ ଧରିଲେ, ପଡିଯାଇପାରନ୍ତି । ସେପଟେ ଛ' ବର୍ଷ ର ଝିଅ । 
ଝିଅ କୁ କହିଲି, "ମା' ଲୋ, ତୋ ହାତ ଛାଡୁଛି । ଧୀରେ ଧୀରେ ଚାଲିବୁ । ଗାଡି ମୋଟର ଅଛି ନା' ମୋ ପାଖେ ପାଖେ ଥିବୁ ।"
ସେ' ବି ହଁ କହିଲା । କାତରତା ସହ ତା' ହାତ ଛାଡିଲି ।
ଗୋଟିଏ ମିନିଟ ଯାଇଛି କି ନାହିଁ, ଦେଖିଲି, ଝିଅ ଡେଇଁ ଡେଇଁ ଗୀତ ଟିଏ ଗୁଣୁଗୁଣେଇ ଧାଉଁଛି  । ବୋଉଙ୍କ ହାତ ଧରି ମୁଁ ଚାଲୁଛି, ତେଣୁ ଧାଇଁଯାଇ ଝିଅକୁ ଧରିହେବନି  । ତେଣୁ ବଡ ପାଟିରେ ଡାକ ଦେଲି, ମା' ଲୋ, ମୋ ପାଖେ ପାଖେ ରହ । ମିନିଟିଏ ପରେ ଦେଖିଲି, ସେ ଡେଇଁ ଡେଇଁ କେତେ ଆଗକୁ ଚାଲିଗଲାଣି  । ପୁଣି ବଡ ପାଟିରେ ଡାକିଲି । 
ସେ' କିନ୍ତୁ ବୋଧେ ମୋ ଡାକ ଶୁଣିପାରିଲାନି  । ତେଣୁ ବୋଉଙ୍କ ହାତ ଛାଡି ଝିଅକୁ ଧରିବାକୁ ଧାଇଁଲି । ମୋ ମନରେ ପୁରା ଭୟ, ଗାଡି ମୋଟର ନ ଦେଖି ଝିଅ ଧାଇଁ ଚାଲିଛି, କଣ ହେବ କଣ ନାହିଁ । 
ଟିକେ ବାଟ ଧାଇଁଛି, ବୋଉ ସେପଟେ ଚାଲିବା ବନ୍ଦ କରି ଠିଆ ହୋଇଛନ୍ତି । ଆଗକୁ ଝିଅ ପାଖକୁ ଯିବି ନା ପଛକୁ ବୋଉଙ୍କ ପାଖକୁ ଯିବି ମୁଁ ଆଉ ସ୍ଥିର କରିବାରେ ଅସମର୍ଥ ହୋଇପଡିଲି
 । 
ଏପଟେ ଦେଖିଲି, ଝିଅ ସମସ୍ତ ପ୍ରକାର ଚିନ୍ତା, ଭୟ ମୁକ୍ତ ହୋଇ ଖୁସି ମନରେ ଡେଇଁ ଡେଇଁ ଚାଲିଛି । ସେପଟେ ଦେଖିଲି ବୋଉ ଧୀରେ ଧୀରେ ପାଦ ବଢେଇ ଚାଲୁଛନ୍ତି ।
ଝିଅକୁ ଧରି ତା' ଖୁସି କମ୍ କରିବାକୁ ମନ କଲାନି, ବୋଉଙ୍କ ହାତ ଧରି ତାଙ୍କ ଆତ୍ମବିଶ୍ୱାସ କମ୍ କରିବାକୁ ମଧ୍ଯ ଠିକ୍ ଲାଗିଲା ନାହିଁ ।
ସେମିତି, ସେଇଠି ଠିଆ ହୋଇ କେତେବେଳେ ଝିଅକୁ ତ କେତେବେଳେ ବୋଉଙ୍କ ଦେଖୁଥାଏ ।
ଭାବିଲି,  ବୋଧହୁଏ ଏହାହିଁ ସମୟର ଚକ୍ର । ମୋ ପିଲାଦିନ ଏମିତି ଡେଇଁ ଡେଇଁ ଚାଲିଯାଇଛେ, ବାର୍ଦ୍ଧକ୍ଯ ଧୀରେ ଧୀରେ ପଛେ ଆସୁଛି । ଆଉ ମୁଁ ଏମିତି ଚାହିଁରହିଛି । କେତେବେଳେ ମୋ ପିଲାଦିନର ସ୍ମୃତିକୁ, ତ କେତେବେଳେ ଭବିଷ୍ୟତ ର ଚିନ୍ତାକୁ ।

Saturday, 3 June 2023

ଏଥୁ ଅନ୍ତେ ।

 ଥୁ ଅନ୍ତେ .. 

ଦେବ ଦୈତ୍ୟ ଭେଦ ମିଟେ 

କଚ୍ଛପ ର ପୃଷ୍ଠ ପରେ ପର୍ବତ ର ଭାର ଉଠେ

ମନ୍ଥନ ର ମାର୍ଗ ଦେଇ ଉଚ୍ଚୈଶ୍ରବା ନଭେ ଉଠେ

ହଳହଳା ବୃଷ୍ତି ଦେଖି ନୀଳକଣ୍ଠ ଜାଗି ଉଠେ

ଅମୃତ ର ପ୍ରାପ୍ତି ସହ ଯୁଦ୍ଧଭେରୀ ବାଜି ଉଠେ ।

ଏଥୁ ଅନ୍ତେ, 

ଛଳନା ର ଅଶୀଧାରେ ସ୍ୱରଭାନୁ ମୁଣ୍ଡ କଟେ । 


Sunday, 11 March 2018

ଆଉ ଏକ ନଚିକେତା

ସବୁକିଛି ବୁଝି ମୁଁ ଭୂଲ୍ କରିଯାଏ
ଆଉ ଏକ ନଚିକେତା ମୁଁ
ମୋକ୍ଷର କାମନା କରି
ପୁନର୍ଜନ୍ମ ମାଗିଦିଏ ।

 

Saturday, 10 March 2018

ଭାବନା


ଭାବନା ଅନନ୍ତ ଶବ୍ଦ ସୀମିତ
କହିବି ବା କଅଣ
ଲେଖିବି ବା କଅଣ
ତମସା ଅନନ୍ତ ଦୀପ ସୀମିତ
ଭାବନା ଅନନ୍ତ ଶବ୍ଦ ସୀମିତ ।।

ପୂର୍ଣ ଜୀବନ, ଅଭାବ ଅଛି ତଥାପି
କଳ୍ପନା ଅତୀତ ଭାବ ଅଛି ତଥାପି
ଦେବ ଆଶୀଷ ବା ମିଳିବ କାହିଁ
ଅର୍ଚ୍ଚନା ଅନନ୍ତ ପୂଜା ସୀମିତ
ଭାବନା ଅନନ୍ତ ଶବ୍ଦ ସୀମିତ ।।


ନିରାଶା ର ନୁହଁ ଭୟ ଆଶା ର 
ସୁରଭି ର ନୁହଁ ମୋହ ପୁଷ୍ପ ର 
ବୃତ୍ର ଅନ୍ତ ଇନ୍ଦ୍ର କରିବେ କେମିତି 
ଦଧୀଚି ଅନନ୍ତ ଅସ୍ଥି ସୀମିତ 
ଭାବନା ଅନନ୍ତ ଶବ୍ଦ ସୀମିତ ।।

ଜାଣେ ପୁଣ୍ୟ କିନ୍ତୁ କରି ପାରେନି 
ଜାଣେ ପାପ କିନ୍ତୁ ଛାଡି ପାରେନି 
ନଚିକେତା ମୋକ୍ଷ ପାଇବ କେମିତି 
ପୁନଃ ଜନ୍ମେ ଯେଣୁ ଆଶା ଜଡିତ 
ଭାବନା ଅନନ୍ତ ଶବ୍ଦ ସୀମିତ ।। 

Tuesday, 31 October 2017

ଆସ ଥରେ ..

ଶୀତ ସକାଳ ର ଖରା ଭଳି
ଆସ ଥରେ ବୁଲି ମୋ ଅଗଣା ରେ,
କାକର ରେ ଜୁଡୁବୁଡୁ ଫୁଲ ଯେତେ
ହସି ଉଠୁ ତୁମ ଉଷ୍ମତା ରେ ।
ହଟାଇ କୁହୁଡି ଦେଖାଇ ଦିଅ
ସୁନେଲି ସୁରୁଜ ଆକାଶ ରେ ॥