— ଚ —
ଚପଳା ଏ ତଟିନୀର ଗତି କେଉଁ ଦିଗେ
ଚାତକ ଅନାଏ ବାରି ଅଛି କି ବା ଭାଗେ
ଚିର ସୁଖ ଅଛି କାହିଁ କାହାରି ଜୀବନେ
ଚୀର ଭାଗ୍ୟ ନେଇ କିଏ ହସେ କି ବା ମନେ
ଚୁପି ଚୁପି କାହିଁ ଦୁଃଖ ବସା ବାନ୍ଧି ବସେ
ଚୂନା କରି ଆଶା ଲୁହ ନୟନେ ପରଶେ
ଚେର ହାରି ବୃକ୍ଷ କି ବା ରହେ ଧରା ପରେ
ଚୈତ୍ର ରଙ୍ଗ ବୈଶାଖରେ କାହିଁ ଜଳି ସରେ
ଚୋରାବାଲି ସମ ସୁଖ ହୁଅଇ ପ୍ରତୀତ
ଚୌଦିଗେ ଦିଶଇ କାହିଁ ଆପଣା ଅତୀତ ।
— ଛ —
ଛଟପଟ ହୁଏ ପ୍ରାଣ ମାୟାର ଶିକୁଳେ
ଛାଟିପିଟି ହୁଏ ସିନା କାହିଁ ବା ମୁକୁଳେ
ଛିଟାବାରି ବାରି ଧରା କି ସୁଖେ ମହକେ
ଛୀଣ କାଳ ହେଉ ପଛେ ହୃଦୟେ ଅଟକେ
ଛୁଇଁ ଦେଇ ଟିକେ ସ୍ୱପ୍ନ ଲୁଚକାଳି ଖେଳେ
ଛୂରୀକାଟେ ଭରି ଦିଏ ସତେ କେ ଅକାଳେ
ଛେଦ ଭରା କଳସ କି ଭରି ରଖେ ପାଣି
ଛୈଦ୍ରିକ ନିର୍ଦ୍ଦୋଷେ ପୁଣି କାହିଁ ହୁଏ ଗଣି
ଛୋଟା ଗୋଡ଼େ ଦୌଡ଼ି ଗିରି ଚଢ଼ିବାର ଆଶା
ଛୌ ନାଚ ସମ ସତେ ଏ ଜୀବନର ଭାଷା ।
— ଜ —
ଜଞ୍ଜାଳେ ଜୀବନ ଜଳେ ଆକୁଳେ ବିକଳେ
ଜାଣି ସବୁ କିଛି ଜଳେ ପତଙ୍ଗ ଅନଳେ
ଜିଣିବାକୁ ଜଗତକୁ ଭାବେ ବାୟା ମନ
ଜୀର୍ଣ୍ଣ ବୋଲି ଜାଣେନିକି ଏ ନଶ୍ୱର ତନ
ଜୁଟେ ଯେତେ ସ୍ମୃତି ସବୁ ଜୀବନ ପଥରେ
ଜୂର୍ବଣ ସେ ବିରହର ଜଳଇ ଅନ୍ତରେ
ଜେରା ଯେବେ କରେ କାଳ କଲା କର୍ମ କହି
ଜୈତ୍ର ଆଶା ମଉଳଇ ଉତ୍ତର ନ ରହି
ଜୋଛନାର ଆଶା ନେଇ କୁମୁଦ ଟେ ଫୁଟେ
ଜୌଗୃହ ଭଳିକା ସେ ସ୍ୱପ୍ନ ଶେଷେ ତୁଟେ ।
— ଝ —
ଝରି ବହେ ନିର୍ଝରିଣୀ କାହାର ସନ୍ଧାନେ
ଝାଞ୍ଜି ଝଡ଼ ସବୁ ସହେ ପାହାଡ଼ ଓ ବନେ
ଝିପିଝିପି ଶ୍ରାବଣେ ସେ ପାଏ ନୂଆ ପ୍ରାଣ
ଝୀନ ହୁଏ ପୁଣି ଦେଖି ସୁରୁଜ କିରଣ
ଝୁଣ୍ଟି ଝୁଣ୍ଟି ପଶି ଆସେ ବିସ୍ତୀର୍ଣ୍ଣ ଅଞ୍ଚଳେ
ଝୂରି ଆସି ଲୀନ ହୁଏ ମହାସିନ୍ଧୁ ତଳେ
ଝେଲି ଯାଏ ସିନ୍ଧୁ ଜଳେ ତେଜି ନିଜ ମୋହ
ଝୈତ୍ର ନୁହେଁ ଏ ମିଳନ ରହେ ମୂଳ ସ୍ନେହ
ଝୋକ ତାର ରହିଥାଏ ଜନ୍ମସ୍ଥଳ ପାଇଁ
ଝୌତ ହୋଇ ମିଳାଇଲେ ମୂଳ ତୁଟେ ନାହିଁ ।
No comments:
Post a Comment